Unknown

 

 

 

 

 

 

 

 

 

ବୋଝ ବହିବା

କବିବର ରାଧାନାଥ ରାୟ

 

ତୁମ୍ଭେ ଦିନେ ଘୋଡ଼ାଗାଡ଼ି ଚଢ଼ି ବୁଲିବାକୁ ବାହାରିଲ । ତୁମ୍ଭର ଘୋଡ଼ା ଅତି ଉତ୍ତମ ଘୋଡ଼ା, କାମ ଭଲ କରେ । ମାତ୍ର ସେଦିନ ସେ ସେପରି ଚାଲୁ ନାହିଁ । ପାହାରେ ଚାବୁକ ଦେଲେ ସେ ଯେମନ୍ତ ବେଗରେ ଦୌଡ଼ଇ, ଆଜି ଦଶ ପାହାର ଦେଲଣି, ତଥାଚ ସେ ଭଲ ଚାଲୁ ନାହିଁ । ତାହାର ଦୋଷ ନାହିଁ । ତୁମ୍ଭେ ପାଞ୍ଚୁଅଛ ଯେ ସବୁଦିନ ଯେ କାମ କରେ ଆଜି ତ ସେହି କାମ କରୁଅଛି, ତେବେ କାହିଁକି ? ମାତ୍ର ବାସ୍ତବ ତାହା ନୁହେଁ। ଅନ୍ୟ ଦିନଠାରୁ ଆଜି ତା ଉପରେ ଗୁରୁତର ବୋଝ ଦିଆହୋଇଅଛି । ଗାଡ଼ି ଅଖରେ ତୁମ୍ଭର ଚାକରମାନେ ତେଲ ଦେଇ ନାହାନ୍ତି । ଯେବେ ଦେଇଥିବେ, ଦେବା ପରି ଦେଇ ନାହାନ୍ତି । ତେଣୁ ଘୋଡ଼ାର ବୋଝ ଦୁଇଗୁଣ ହୋଇଅଛି। ତୁମ୍ଭେ ଅନୁସନ୍ଧାନ ଦ୍ୱାରା ଏହା ଭଲ ରୂପରେ ଜାଣିଲ। ଘରକୁ ନେଉଟି ଯାଇ ଚାକରମାନଙ୍କୁ ତିରସ୍କାର କଲ ।

 

ତୁମ୍ଭର ଘୋଡ଼ାକୁ ଯେମନ୍ତ ଅସୁବିଧା ହୋଇଥିଲା, ମହୀରେ ଅନେକ ଲୋକ ସେହିପରି ଅସୁବିଧାର ଅଧୀନ ଅଟନ୍ତି। କାହାର ଶାରୀରିକ ଅସୁବିଧା, କାହାର ମାନସିକ ଅସୁବିଧା, କାହାର ଅବା ଅବସ୍ଥାଗତ ଅସୁବିଧା । ଏହି ଅସୁବିଧାମାନ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ମହତ୍ ପ୍ରତିବନ୍ଧକ ହୁଅନ୍ତି। ଅସୁବିଧା ନଥିଲେ ସେମାନେ ଯେତେ କାର୍ଯ୍ୟ କରିଥାନ୍ତେ, ସେହି ଅସୁବିଧା ଥିବା ହେତୁରୁ ସେମାନେ ସେତେ କରି ପାରୁ ନାହାନ୍ତି । ଏହି ଅସୁବିଧା ଅନ୍ୟ ଲୋକେ ଦେଖନ୍ତି ନାହିଁ। ଯେ କରେ, ସେ ଦେଖେ । ଅନ୍ୟ ଲୋକେ ନ ବୁଝି ତାହାର ତାର୍ଯ୍ୟକୁ ନିନ୍ଧା କରନ୍ତି । ତା’ ହାତ ଜଖମ ହୋଇଯାଇଅଛି, ଅଥଚ ସେ କାମ କରୁଅଛି । ତୁମେ ତ ଜଖମ ଦେଖିଲ ନାହିଁ, କାମ ଦେଖି ବିରକ୍ତ ହେଲ । ତା’ ଦୁଇଗୋଡ଼ ଦଉଡ଼ିରେ ବନ୍ଧ। ସେ ପାରୁପର୍ଯ୍ୟନ୍ତେ ଦଉଡ଼ୁଅଛି ଦଉଡ଼ି ପ୍ରତି ତୁମ୍ଭର ଦୃଷ୍ଟି ନାହିଁ। ତୁମ୍ଭେ କେବଳ ତାହାର ଦଉଡ଼ିବା ଦେଖି ହସିଲ। ବାସ୍ତବ ସେମାନେ ଯାହା କରନ୍ତି, ଅସୁବିଧାର ଅଧୀନ ହୋଇ କରନ୍ତି । ଗୋଟିଏ ଭଲ ଘୋଡ଼ା ଯେମନ୍ତ ଦଉଡ଼ି ନପାରିଲା, ଗଧ ତା’ଠାରୁ ଭଲ ଦୌଡ଼ିଲା । ତୁମ୍ଭେ ଗଧକୁ ପ୍ରଶଂସା କଲ, ଘୋଡ଼ାର ଦୁଃଖ ବୁଝିଲ ନାହିଁ। ଘୋଡ଼ାର ବୋଝ ଅଧିକତର, ସେ ଯେତେ ନେଇନପାରିବ ତହିଁରୁ ଅଧିକ ।

 

ଲୋକେ ଏହିପରି ବଳର ଅତିରିକ୍ତ ବୋଝ ଘେନି ସଂସାରକ୍ଷେତ୍ରରେ ଦୌଡ଼ନ୍ତି । ପାରୁପର୍ଯ୍ୟନ୍ତେ କ୍ଳେଶ ସ୍ୱୀକାର କରନ୍ତି । ତୁନି ହୋଇ ଆପଣା କାର୍ଯ୍ୟ ଆପେ କରୁଥାନ୍ତି, ଆପଣା ଦୁଃଖ କାହାରିଠାରେ ପ୍ରକାଶ କରନ୍ତି ନାହିଁ । ଏପରି ମଧ୍ୟ କେତେ ଲୋକ ଅଛନ୍ତି ଯେ ସେମାନଙ୍କୁ ଆଦୌ ସୁବିଧା ଘଟେ ନାହିଁ। ତାହା ତ କେହି ବୁଝିବେ ନାହିଁ। କାମ କରି ପାରିଲେ ନାହିଁ ବୋଲି ହସିବେ । ଗୋଟିଏ ଘୋଡ଼ାର ଗୋଡ଼ ଗଛରେ ବନ୍ଧାହୋଇଅଛି । ଜଣେ ସେଠାରେ ଛିଡ଼ା ହୋଇ ସେ ଦୌଡ଼ୁ ନାହିଁ ବୋଲି ତାକୁ ଚାବୁକ ମାରୁଛି । ତୁମ୍ଭେ ଦେଖି ହସିଲ, ଦୁଃଖିତ ମଧ୍ୟ ହେଲ । ତୁମ୍ଭେ ତ ସେହିପରି କରିଥାଅ। ଲୋକଙ୍କର ଅସୁବିଧା ତ ବୁଝିବ ନାହିଁ, କେବଳ କାର୍ଯ୍ୟ ଦେଖି ହସିବ। ଭଲ ଦୌଡ଼ିବା ତେଣିକି ଥାଉ, ସେ ଘୋଡ଼ା ଚାଲି ତ ପାରିବ ନାହିଁ । ଅସୁବିଧାର ଅଧୀନ ହୋଇ କାର୍ଯ୍ୟ କରିବାର କଷ୍ଟକର । ସୁବିଧା ଆଦୌ ନ ଘଟିବା ଆହୁରି କଷ୍ଟକର । ବଳର ଅତିରିକ୍ତ ବୋଝ ନେବାର କଷ୍ଟକର । ଗଛରେ ଗୋଡ଼ ବନ୍ଧାଥିବାର ଆହୁରି କଷ୍ଟକର । ହ୍ରସ୍ୱଦୃଷ୍ଟି ଓ ଅନ୍ଧର ଯେ ପ୍ରଭେଦ, ଏ ଦୁହିଁଙ୍କର ସେହି ପ୍ରଭେଦ । କେହି କେହି ସଂସାରକ୍ଷେତ୍ରରେ କଷ୍ଟରେ ବିଚରଣ କରନ୍ତି । କେହି ଅବା ବିଚରଣ କରିବାକୁ ଆଦୌ ସମର୍ଥ ନୁହନ୍ତି । ସ୍ଥୂଳରେ ଏହା କହିଲେ ହେଲା ଯେ କେହି ବଳର ଅତିରିକ୍ତ ବୋଝ ବହନ୍ତି, କାହାରି ଅବା ବୋଝ ମୁଣ୍ଡେଇବାକୁ ମୂଳୁଁ କ୍ଷମତା ନାହିଁ ।

 

ତୁମ୍ଭେ ସଂସାରକ୍ଷେତ୍ରରେ ଅକ୍ଳେଶରେ ବିଚରଣ କରୁଅଛ, ଆପଣା କାର୍ଯ୍ୟ ଉତ୍ତମରୂପେ କରି ଯଶୋଭାଜନ ହେଉଅଛ । ଯେମାନେ ସବୁ ବିଷୟରେ ଅଗ୍ରଗଣ୍ୟ ଅଟନ୍ତି, ସେମାନଙ୍କ ଦଳରେ ଭୁକ୍ତ ହୋଇଅଛ । ଯେମାନେ ତୁମ୍ଭ ପଛରେ ପଡ଼ିଅଛନ୍ତି, ସେମାନଙ୍କ ଗୋଡ଼ ଭାଙ୍ଗିଯାଇଅଛି, ଆଉ ଉଠିବାକୁ ସାମର୍ଥ୍ୟ ନାହିଁ । ସେମାନଙ୍କ ପ୍ରତି ଦୟା ବହି ସେମାନଙ୍କର ଦୁଃଖ ବୁଝ । ଦେଖ, ତୁମ୍ଭ ପଛରେ ଜଣେ ଆସୁଛି, ତାହାର ବୋଝ ବଳର ଅତିରିକ୍ତ-ଅଧକୋଶ ପଛକୁ ପଡ଼ିଛି । ତାକୁ ଟିକିଏ ଦୟା କର । ଆହୁରି ଦୂରକୁ ଚାହିଁ ଦେଖ, ସେହି ଲୋକଟି ମୂଳୁଁ ଆସିପାରୁନାହିଁ । ପଚିଶ ମହଣ ବୋଝର ଗୋଟିଏ ପଥରରେ ତା ଗୋଡ଼ ବନ୍ଧା ହୋଇଛି । ସେ ପାରୁପର୍ଯ୍ୟନ୍ତ ଟାଣୁଛି, ପଥର ହଲିବାକୁ ନାହିଁ । ସେ ଥକିଲା, ଅସାଧ୍ୟ ଜାଣି ତୁନି ହୋଇ ବସିଲା । ତୁମେ ତ ବିବେଚକ ଅଟ । ସେମାନଙ୍କ ପରି ତୁମ୍ଭର ଦଶା ହୋଇଥିଲେ ହୁଏତ ତୁମ୍ଭର ଗୋଡ଼ ଭାଙ୍ଗିଯାଇଥାନ୍ତା, ହୁଏତ ତୁମ୍ଭେ ମୂଳୁଁ ଆସିପାରିନଥାନ୍ତ । ତୁମ୍ଭେ ତୁମ୍ଭର ଛିଦ୍ର ଜାଣ। ସେହି ଛିଦ୍ରରେ ସୁଲକ୍ଷିତ ଅଥବା ଲକ୍ଷ୍ୟହୀନ ଗୋଟିଏ କାଣ୍ଡ ଭେଟିଥିଲେ ତୁମ୍ଭେ ବହୁଦିନ ପୂର୍ବରୁ ଧରାଶାୟୀ ହୋଇଥାନ୍ତ । ତୁମ୍ଭେ ସଂସାରକ୍ଷେତ୍ରରେ ଅନେକ ଉନ୍ନତି କଲଣି, ଅନେକ ଦୂର ଆସିଲଣି, ଲକ୍ଷ୍ୟର ନିକଟବର୍ତ୍ତୀ ହେଲଣି । ମାତ୍ର ତୁମ୍ଭେ ବେଶ୍ ଜାଣ ଯେ ଯେଉଁ ବୋଝ ତୁମ୍ଭେ ମୁଣ୍ଡେଇଛ, ସେଥିରୁ ଦୁଇ ମହଣ ଅଧିକ ହୋଇଥିଲେ ତୁମ୍ଭେ କେଭେଁ ଏତେଦୂର ଯାଏ ଆସିନଥାନ୍ତ, ହୁଏତ ମୂଳୁଁ ଉଠି ପାରନ୍ତ ନାହିଁ । ତୁମ୍ଭର ହୃଦୟ ଅତି ମୃଦୁ, ଶରୀର ଅତି କ୍ଷୀଣ । ଯେବେ ଦୁର୍ଭାଗ୍ୟକ୍ରମେ ତୁମ୍ଭେ ସୈନିକଦଳରେ ନାମ ଲେଖାଇ କୌଣସି ଯୁଦ୍ଧକୁ ଯାଇଥାନ୍ତ, ସେ ଯୁଦ୍ଧରୁ ଫେରି ନ ଥାନ୍ତ । ତୁମ୍ଭେ ଧାର୍ମିକ ବୋଲି ପ୍ରତିଷ୍ଠିତ ହୋଇଅଛ । ମାତ୍ର ଅବିବେକ ଲୋକେ ଯେମାନଙ୍କୁ ପାପୀ ବୋଲି ଘୃଣା କରନ୍ତି, ସେମାନଙ୍କ ପରି ପ୍ରଲୋଭନରେ ପଡ଼ିଥିଲେ ତୁମ୍ଭର କି ଦଶା ହୋଇଥାନ୍ତା ! ତୁମ୍ଭର ମନ ତୁମ୍ଭକୁ କହିଦେଉଥିବ । ସୌଭାଗ୍ୟକ୍ରମେ ପ୍ରଲୋଭନରେ ତୁମ୍ଭେ ପଡ଼ି ନାହଁ । ତୁମର ଚରିତ୍ର ଅକଳଙ୍କିତ ଅଛି । ମାତ୍ର ଏହା ବୋଲି ପାପୀଙ୍କି ଘୃଣା କରିବ ନାହିଁଟି ! ବହୁତରେ ହେଉ ଅଳ୍ପରେ ହେଉ; ତୁମ୍ଭକୁ ସ୍ୱୟଂ ସେହି ଘୃଣାର ଅଂଶୀ ହେବାକୁ ହେବ। ଏହା ନିଷ୍ଠା ଜାଣିଥିବ ।

ସଂସାରଯାତ୍ରୀମାନଙ୍କୁ ଅନେକ ପ୍ରକାର ବୋଝ ମୁଣ୍ଡାଇବାକୁ ହୁଏ । ସେହି ପ୍ରତିବନ୍ଧକମାନ ପଦେ ପଦେ ବିଘ୍ନ ଘଟାନ୍ତି । ସେହି ପ୍ରତିବନ୍ଧକମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ- ଆନ୍ତର ଓ ବାହ୍ୟ। ଆପଣା ମନ ଅଥବା ଶରୀର ଯୋଗୁଁ ପ୍ରତିବନ୍ଧକ ଜାତ ହୁଏ, ସେ ଆନ୍ତର ଅଟେ । ବାହ୍ୟ ଅବସ୍ଥା ଯୋଗୁଁ ଯେଉଁ ପ୍ରତିବନ୍ଧକ ଘଟେ, ସେ ବାହ୍ୟ ପ୍ରତିବନ୍ଧକ । ଏପରି ଲୋକ ତୁମ୍ଭେ ଦେଖିଥିବ ଯେ, ସେ ପ୍ରଥମେ ନିତାନ୍ତ ନୀଚ ଅବସ୍ଥାରେ ଥିଲେ । ଆପଣା ଯତ୍ନ ଓ ଅଧ୍ୟବସାୟ ଦ୍ୱାରା ଅନେକ ଉନ୍ନତି ସାଧନ କରିଅଛନ୍ତି, ମାତ୍ର ଯେତେ ସାଧି ପାରିଥାନ୍ତେ, ତାହା ହୋଇନାହିଁ । ତାଙ୍କର ନିର୍ବୋଧ ପତ୍ନୀ ତାଙ୍କର ଅନ୍ତରାୟ ହେଲେ । ତୁମ୍ଭେ ଦେଖିଥିବ ଯେ କେହି କେହି ଲୋକ ବାସ୍ତବ ଅତ୍ୟନ୍ତ ସତ୍‌ପ୍ରକୃତିକ, ମାତ୍ର ସଂସର୍ଗ ଦୋଷରୁ ଆନପ୍ରକାର ହୋଇଅଛନ୍ତି । ଅନେକ ଲୋକଙ୍କର ପ୍ରକୃତି ଦରିଦ୍ରତା ଯୋଗୁଁ କଟୁ ହୋଇଯାଇଅଛି, ଶକ୍ତି ହ୍ରାସ ହୋଇଯାଉଅଛି । ପ୍ରତିକ୍ଷଣ ସେମାନଙ୍କୁ ସଂସାରଚିନ୍ତା ଲାଗିଲା । ଏହି ଦୁଇ ଅଣାରେ କେତେ ଦିନ ଚଳିପାରିବ ? ଏହା କରୁଁ କରୁଁ ସେମାନଙ୍କର ଦିନ ଗଲା । ଉଦରର ଜ୍ୱାଳା ସେମାନଙ୍କୁ ନିତି ଅସ୍ଥିର କଲା । ପ୍ରକୃତି କାହୁଁ ଭଲ ହେବ ? ମୁଦିର ଚାଉଳ କଉଡ଼ି କିମିତି ଦେବି, ପିଲାର ଖଣ୍ଡିଏ ଲୁଗା କିମିତି ହେବ, ଏହି ଭାବନା ଯେବେ ତୁମ୍ଭର ରାତ୍ରଦିନ ହେଲା, ତୁମର ରଚନାଶକ୍ତି ଚରିତାର୍ଥ କରିବାକୁ ଅବସର କାହିଁ ? ହଁ, ଏପରି ଜଣେ ଜଣେ ଲୋକ ଅଛନ୍ତି ଯେ ସେମାନେ ସହସ୍ର ଅସୁବିଧା ଅବା ପ୍ରତିବନ୍ଧକ ଥାଉଁ ଥାଉଁ ବଡ଼ ବଡ଼ କାର୍ଯ୍ୟ କରିପାରନ୍ତି । ମାତ୍ର ଏପରି ଲୋକ ଲକ୍ଷରେ ଜଣେ। ପନ୍ଦରପଣି ଲୋକ ପବନ ଜୁଆର ନ ହେଲେ କିଛି କରି ପାରନ୍ତି ନାହିଁ । କେହି କେହି ପ୍ରତିବନ୍ଧକ ଥାଉଁ ବଡ଼ ବଡ଼ କାର୍ଯ୍ୟ ସାଧିଛନ୍ତି ସତ୍ୟ, ମାତ୍ର ସେହି ପ୍ରତିବନ୍ଧକ ନଥିଲେ ସେମାନେ ଆହୁରି ବଡ଼ କାର୍ଯ୍ୟ ସାଧିପାରିଥାନ୍ତେ । କାଳିଦାସ ଯେଉଁ ପୁସ୍ତକମାନ ରଖିଯାଇଅଛନ୍ତି, ସେ ଗୋଟିଏ ଗୋଟିଏ ମହତ୍ କୀର୍ତ୍ତି । ମାତ୍ର କାଳିଦାସ ଯେବେ ଦରିଦ୍ର ହୋଇନଥାନ୍ତେ, ତାହାହେଲେ ଆହୁରି ବଡ଼ ବଡ଼ କୀର୍ତ୍ତି ରଖିଯାଇଥାନ୍ତେ । ସେହି ଦରିଦ୍ରତା ତାଙ୍କର ଅଧିକା ଦୁଇ ମହଣା ହେଲା । ଏଗୁଡ଼ିକ ବାହ୍ୟ ପ୍ରତିବନ୍ଧକ । ଆନ୍ତର ପ୍ରତିବନ୍ଧକ ଆହୁରି କଷ୍ଟକର । ଆନ୍ତର ପ୍ରତିବନ୍ଧକ ଅତିକ୍ରମ କରିବା କଠିନ ପ୍ରାୟ ଅସାଧ୍ୟ। ଚପଳ ସ୍ୱଭାବ କାହାର ପ୍ରତିବନ୍ଧକ । ଅକାରଣ ଭୀରୁତା କାହାର ପ୍ରତିବନ୍ଧକ । ଈର୍ଷା କାହାର ପ୍ରତିବନ୍ଧକ। କାହାରି କାହାରି ସ୍ୱଭାବ ଏମନ୍ତ ଯେ ପରନିନ୍ଦା, ପରାପବାଦ, ମିଥ୍ୟା କହିବାରେ ତାଙ୍କର ଅତ୍ୟନ୍ତ ପ୍ରବୃତ୍ତି । କେହି କେହି ଏପରି ଅଛନ୍ତି ଯେ ସେମାନେ ଆପଣା ଅବସ୍ଥା ପ୍ରତି ନିତାନ୍ତ ଅସନ୍ତୁଷ୍ଟ । ରାତ୍ରଦିନ ବିଳାପ କରୁଅଛନ୍ତି । କେହି ଆପଣା ଗୁଣର ଗୌରବ କରିବାପାଇଁ ଅତ୍ୟନ୍ତ ବ୍ୟଗ୍ର । କେହି ଅବା ସାମାନ୍ୟ ଜ୍ଞାନଶୂନ୍ୟ । କେହି ଅବା ଅନ୍ୟ ଲୋକେ ତାଙ୍କର ଅମୁକେଇ କାର୍ଯ୍ୟ ଦେଖି କଣ କହୁଥିବେ, ଏହି ଚିନ୍ତାରେ ରାତି ଦିନ ବ୍ୟସ୍ତ । ଏହିପରି ଆନ୍ତର ପ୍ରତିବନ୍ଧକ ଅନେକ ଅଛି । ଶାରୀରିକ ଅବସ୍ଥା ଯୋଗୁଁ ମଧ୍ୟ ଅନେକ ଆନ୍ତର ପ୍ରତିବନ୍ଧକ ଜାତ ହୁଏ । କେହି ଲୋକ ଅତ୍ୟନ୍ତ ପରିଶ୍ରମୀ, ରାତ୍ରଦିନ ପରିଶ୍ରମ କରିବାକୁ ସେମାନଙ୍କର ଏକାନ୍ତ ଇଚ୍ଛା, ମାତ୍ର ଶରୀର ତାହା କରି ଦେବ ନାହିଁ । ଏହିରୂପେ ସମସ୍ତଙ୍କୁ ଏକ ଏକ ପ୍ରକାର ବୋଝ ବହିବାକୁ ହୁଏ । ଏହି ବୋଝ ଯେ କେବଳ ଅନିଷ୍ଟର ହେତୁ, ଏହା କିଏ କହିବ-? ହୁଏତ ଏ ବୋଝ ଆମ୍ଭମାନଙ୍କର ପ୍ରୟୋଜନୀୟ ଅଟେ, ବାସ୍ତବ ପ୍ରୟୋଜନୀୟ ଅଟେ । ବଡ଼ ବଡ଼ ଲୋକେ ଏହା ବହିଛନ୍ତି। ଜଣେ ଭକ୍ତ ଏହିପରି ବୋଝ ବହି ରାତ୍ରଦିନ କଷ୍ଟପାଉଥିଲେ । ତାଙ୍କର ଇଷ୍ଟଦେବତା ସଙ୍ଗେ ଭେଟହେଲାରୁ କହିଲେ, ‘‘ପ୍ରଭୁ ! ଏ ବୋଝ ଉତାରି ନିଅ, ଆଉ ବହି ପାରିବି ନାହିଁ ।’’ ଦେବତା ଉତ୍ତର କଲେ, ‘‘ନା, ସେ ବୋଝ ଉତାରିଦେଲେ ତୁମ୍ଭର ଅନିଷ୍ଟ ହେବ। ସେ ବୋଝ ତୁମ୍ଭର ଆବଶ୍ୟକ। ବୋଝ ଉତାରିଦେବି ନାହିଁ, ବରଂ ତୁମ୍ଭର ପିଠିକୁ ଶକ୍ତ କରିଦେବି ।’’ ଏପରି ଭକ୍ତଙ୍କୁ ତ ଏପରି ଉତ୍ତର ହେଲା, ଆମ୍ଭମାନଙ୍କର ତ କଥା ନାହିଁ, ଆମ୍ଭମାନଙ୍କର ବହିବାର ଆବଶ୍ୟକ ।

 

‘‘ବୁଝିଲେ, ସେ ଯାହା କରିଛନ୍ତି, ଆଚ୍ଛା କରିଛନ୍ତି’’- ଆମ୍ଭେମାନେ ସଚରାଚର ଏପରି ମନ୍ତବ୍ୟ ବ୍ୟକ୍ତ କରିଥାଉଁ । ଏହାର ଅର୍ଥ ସମସ୍ତେ ଜାଣନ୍ତି । ଏହାର ଅର୍ଥ ଏହି ଯେ, ଯେଉଁ ସବୁ ପ୍ରତିବନ୍ଧକ ତାଙ୍କର କାର୍ଯ୍ୟରେ ବିଘ୍ନ ଘଟାଉଥିଲେ, ସେ ପ୍ରତିବନ୍ଧକମାନଙ୍କୁ ବୁଝିଲେ ସେ ଯାହା କରିଛନ୍ତି, ଆଚ୍ଛା କରିଛନ୍ତି । ଅନେକ କାର୍ଯ୍ୟ ଯାହା ସ୍ୱତଃ ଭଲ ବୋଲିବେ ନାହିଁ, ତାହାର ପ୍ରତିବନ୍ଧକ ବୁଝି ତାହାକୁ ଅପେକ୍ଷାକୃତ ଭଲ ବୋଲିବେ । କେତେ ବ୍ୟକ୍ତି ଏହି ରୀତିରେ ପ୍ରଶଂସା ନେବା ନିମନ୍ତେ ବ୍ୟଗ୍ର ହୁଅନ୍ତି । ଭୋଝ ଉପରେ ଆପଣା ଇଚ୍ଛାମତେ ଆହୁରି ବୋଝ ନଦନ୍ତି । ଦକ୍ଷିଣ ହାତରେ ସ୍ୱାକ୍ଷର କରିବାର କିଛି ଆଶ୍ଚର୍ଯ୍ୟ ନୁହେ, ବାମ ହାତରେ ସ୍ୱାକ୍ଷର କରନ୍ତି ଲୋକେ ଆଶ୍ଚର୍ଯ୍ୟାନ୍ୱିତ ହେବେ । ଗୋଡ଼ରେ ସ୍ୱାକ୍ଷର କଲେ ଲୋକେ ଆହୁରି ପ୍ରଶଂସା କରିବେ । ଏ କଥା ମନରେ ରଖିବାର ଉଚିତ ଯେ ଯେଉଁ ପ୍ରତିବନ୍ଧକମାନ ଅପରିହାର୍ଯ୍ୟ, ଏପରି ପ୍ରତିବନ୍ଧକ ଅତିକ୍ରମ କରି କେହି ଯେବେ କୌଣସି କାର୍ଯ୍ୟ ସାଧିଲା, ସେହିପରି ସ୍ଥଳରେ ତାହାର ସେହି ପ୍ରତିବନ୍ଧକ ବୁଝି ତାହାର ପ୍ରଶଂସା କରିବାର ଉଚିତ । ମାତ୍ର ଯେମାନେ ଇଚ୍ଛାପୂର୍ବକ ପ୍ରତିବନ୍ଧକ ସଂଗ୍ରହ କରି ଯଶ ଲାଭ ନିମନ୍ତେ ସେହି ପ୍ରତିବନ୍ଧକ ଅତିକ୍ରମ କରନ୍ତି, ଏପରି ଲୋକଙ୍କୁ ପ୍ରଶଂସା କରିବାର ଉଚିତ ନୁହେ । ଏପରି ଲୋକମାନେ କେବଳ ଆତ୍ମଗରିମା ଚରିତାର୍ଥ କରିବା ନିମ୍ନେ ଇଚ୍ଛାପୂର୍ବକ ପ୍ରତିବନ୍ଧକ ଲୋଡ଼ନ୍ତି । ଜଣେ ବଢ଼େଇ କାମ ଜାଣେ ନାହିଁ, କମାର କାମ ଜାଣେ ନାହିଁ, ଘର ଛାଇ ଜାଣେ ନାହିଁ, ମାତ୍ର ସେ କାହାରି ସାହାର୍ଯ୍ୟ ନ ନେଇ ଆପଣା ହାତରେ ଗୋଟିଏ ଘର ପ୍ରସ୍ତୁତି କଲା-। କମାର ବଢ଼େଇଙ୍କ ସାହାଯ୍ୟର ମୂଲ୍ୟ ଦେବା ନିମନ୍ତେ ତାହାର ସଙ୍ଗତି ଅଛି । ତଥାଚ ସେ ଯଶ ଲଭିବା ଆଶାରେ ସବୁ କାମ ଆପଣା ହାତରେ କଲା । ଏପରି ଘର କେଭେ ଭଲହୋଇନପାରେ । ମାତ୍ର ଅସୁବିଧାମାନ ବୁଝିଲେ ତାହାକୁ ଭଲ ଘର ବୁଝିବାକୁ ହେବ । ଲୋକେ ସେହି ଘରର ଅନେକ ପ୍ରଶଂସା କଲେ । ସେହି ଘର ପାଖରେ ଥିବା ସହସ୍ରାଂଶରେ ଭଲ ଆଉ ଗୋଟିଏ ଘରକୁ କେହି ଚାହିଁଲେ ନାହିଁ । ହେତୁ କି ସେ ଘର ରାତିମତେ ପ୍ରସ୍ତୁତ ହୋଇଥିଲା । ସମସ୍ତେ ସେହି କୁତ୍ସିତ ଘରକୁ ପ୍ରଶଂସା କଲେ । ମାତ୍ର ଏପରି ସ୍ଥଳରେ ଏପରି ଘରକୁ ଅଥବା ଏପରି ଘରର ନିର୍ମାତାକୁ କେଭେ ପ୍ରଶଂସା କରିବାର ଉଚିତ ନୁହେ । ଅସୁବିଧା ବୁଝିଲେ ଘର ପ୍ରଶଂସନୀୟ ଏହା ସତ୍ୟ, ମାତ୍ର ସେହି ଅସୁବିଧା ତାହାର ଲୋଡ଼ି ଆଣିବା ଅସୁବିଧା । ସେହି ଅସୁବିଧାମାନ ସେ ଇଚ୍ଛାପୂର୍ବକ ସ୍ୱୀକାର କରିଥିଲା, କେହି କହିନଥିଲେ । ବୋଝ ଉପରେ ବୋଝ ସେ ଆପେ ନଦିଲା- ବିନା ପ୍ରୟୋଜନରେ ନଦିଲା । ତାହାର ପ୍ରଶଂସା ନେବାର କୌଣସି ଅଧିକାର ନାହିଁ । ମାତ୍ର ଏହା ବୋଲି ରବିନ୍‌ସନ୍ କ୍ରୁସୋ ଯେ ନିର୍ଜନ ଦ୍ୱୀପରେ ଆପଣା ଘର ଆପଣା ହାତରେ ବନେଇଥିଲେ, ସେ ଘର ପ୍ରଶଂସାର ଯୋଗ୍ୟ । ଜଣେ ଦରିଦ୍ର ଆପଣା ଲୁଗା ଚିରିଦେଲେ ଆପେ ସେ ତା’ର ସିଲାଇ କରେ । ଦରଜିକୁ କଉଡ଼ି ଦେବ ଏପରି ସଙ୍ଗତି ନାହିଁ । ତାହାର ଲୁଗା ମୂଳୁଁ ସିଲେଇ ନହେବାଠାରୁ ହାତର ମନ୍ଦ ସିଲେଇ ଭଲ । ଏପରି ଅବସ୍ଥାରେ ପ୍ରଶଂସା କରିବାର ଉଚିତ-

 

ପଶୁ ବୋଝ ବହିବାରେ, ମନୁଷ୍ୟ ବୋଝ ବହିବାରେ ଅନେକ ପ୍ରଭେଦ ଅଛି । ଗୋଟିଏ ବଳଦ ଯେତେ ନେଇ ପାରିବ, ସେଥିରୁ ଅଧିକ ବୋଝ ତା ଉପରେ ନଦା ହୋଇଥିବାର ଦେଖିଲେ ତୁମ୍ଭର ଦୁଃଖ ହେବ, ବଳଦ ପ୍ରତି ତୁମ୍ଭର ଦୟା ହେବ । ମାତ୍ର ମନୁଷ୍ୟର ବୋଝ ଦେଖି ଦୟା ହେବାର ତେଣିକି ଥାଉ ଆହୁରି ଚଳ ମାଡ଼େ । କେହି କେହି ଲୋକ ନିର୍ବୋଧତା ଏବଂ ଅନର୍ଥକ ସନ୍ଦେହପ୍ରବଣତାର ବୋଝ ବହନ୍ତି । ମାତ୍ର ସେ ବୋଝ ଦେଖି କାହାରି ଦୟା ଜାତ ହୁଏ ନାହିଁ । ବରଂ ସେ ବୋଝ ଉପରେ ଆହୁରି ପାହାରେ ପିଟିବାକୁ ଇଚ୍ଛା ହୁଏ । ଅନ୍ଧ, ଖଞ୍ଜ, ବ୍ୟାଧିଗ୍ରସ୍ତ ଲୋକଙ୍କୁ ଦେଖିଲେ ଦୟା ହୁଏ । ମାତ୍ର ସେମାନଙ୍କଠାରୁ ଅଧିକତର ଶୋଚନୀୟ ଦଶାଗ୍ରସ୍ତ ଲୋକଙ୍କ ପ୍ରତି ଆମ୍ଭେମାନେ ବିରକ୍ତ ହେଉଁ । ଜଣେ ଚପଳସ୍ୱଭାବ ଲୋକ ଅଳ୍ପ କଥାରେ କ୍ରୁଦ୍ଧ ହୋଇଉଠିଲା । ଜଣେ ଅତ୍ୟନ୍ତ ଭୀରୁ ଯେଉଁଠାରେ ପ୍ରବଞ୍ଚନା କରିବାର ପ୍ରୟୋଜନ ନାହିଁ, ଏମନ୍ତ ସ୍ଥଳରେ ପ୍ରବଞ୍ଚନା ଅବଲମ୍ବନ କଲା । ଜଣକର ପରନିନ୍ଦା କରିବାକୁ ଅତ୍ୟନ୍ତ ଆଗ୍ରହ ଦେଖିଲ । କାହାକୁ ଅବା ଏପରି ଦେଖିଲ ଯେ, ସେ ଆପଣା ଦୁଃଖ ଆପଣା ବିପଦ ରାତ୍ର ଦିନ କହିହେଉଥାଏ-। ଏସବୁ ଦେଖି ତୁମ୍ଭେ ବିରକ୍ତ ହୁଅ । ଏ ସବୁ ସହିହୁଏ ନାହିଁ । ଏହି ବିରକ୍ତି ଗୋଟିଏ ଭଲ କାରଣ ଅଛି । ଶରୀରଠାରୁ ମନ ଅପେକ୍ଷାକୃତ ଆୟତ୍ତ ହୋଇପାରେ । ଅନ୍ଧର ଚକ୍ଷୁ କେଭେ ହେବ ନାହିଁ । ମାତ୍ର ନିର୍ବୋଧ ଲୋକ ଉପାୟରେ କିଞ୍ଚିତ୍ ପରିମାଣରେ ସୁବୋଧ ହୋଇପାରନ୍ତି । ତଥାଚ ଏମନ୍ତ ସ୍ଥଳ ଅନେକ ଅଛି ଯେ ବିରକ୍ତ ନ ହୋଇ ଦୟା କରିବାର ଉଚିତ। ଜଣକର ପ୍ରକୃତି ଅତି ମନ୍ଦ, ତୁମ୍ଭେ ଦେଖିଲ । ତୁମ୍ଭେ କେବଳ ତାହାର ସେହି ପ୍ରକୃତିଟି ଦେଖି ବିରକ୍ତ ହେଲ। ମାତ୍ର କି ହେତୁରୁ ତାହାର ସେପରି ପ୍ରକୃତି ହେଲା, କିପରି ଅବସ୍ଥାରେ ସେ ପଡ଼ିଥିଲା, ତାହା ତ ଜାଣିଲ ନାହିଁ । ସବୁ କଥା ଜାଣିଥିଲେ ତୁମ୍ଭେ ପ୍ରାୟ ବିଭକ୍ତ ହୁଅନ୍ତ ନାହିଁ । ଜଣକୁ ତୁମ୍ଭେ ବହୁକାଳ ପୂର୍ବରେ ଅତ୍ୟନ୍ତ ସୁଶୀଳ ଓ ମୃଦୁସ୍ୱଭାବ ଦେଖିଥିଲ । ବର୍ତ୍ତମାନ ତାହାକୁ ଉଗ୍ର ଓ ରୁକ୍ଷ ଦେଖିଲ। ସେ ସମ୍ପ୍ରତି ଏପରି ଉଗ୍ର ଓ ରୁକ୍ଷ କାହିଁକି ହେଲା ? ମୂଳକଥା ଏହି, ସେ ଦୁଃଖରେ ପଡ଼ିଗଲା । ଯେମାନଙ୍କୁ ବିଶ୍ୱାସ କରୁଥିଲା, ସେମାନେ ତା’ଠାରେ ବିଶ୍ୱାସଘାତକତା କଲେ । ଯେମାନଙ୍କଠାରୁ ସ୍ନେହ ଆଶା କରିଥିଲା, ସେମାନେ ତାହାର ଦୁଃଖବେଳେ କେହି ପାଖ ପଶିଲେ ନାହିଁ । ସଂସାର ନିତାନ୍ତ ଅସାର ବୋଧହେଲା । ଦୁଇ-ଚାରିଜଣ ମନୁଷ୍ୟ ପ୍ରତି ଅଶ୍ରଦ୍ଧା ଜାତ ହୋଇ ସେହି ଅଶ୍ରଦ୍ଧା କ୍ରମେ କ୍ରମେ ସମସ୍ତ ମନୁଷ୍ୟ ଜାତିକି ବ୍ୟାପିଲା । ଅତି ହିଂସ୍ର ପ୍ରାଣୀକୁ ଆମ୍ଭେମାନେ ଘୃଣା କରୁଁ। ମାତ୍ର ସେମାନଙ୍କର ମଧ୍ୟ ସମ୍ପୂର୍ଣ୍ଣ ଦୋଷ ନାହିଁ । ସେମାନଙ୍କର ଚାରା ନାହିଁ । ସେମାନଙ୍କର କ୍ଷୁଧା ଅତି ପ୍ରବଳ, ସହି ପାରନ୍ତି ନାହିଁ । ପାରୁପର୍ଯ୍ୟନ୍ତ ପେଟ ପୂରାଇବାର ଚେଷ୍ଟା କରନ୍ତି । ଖାଦ୍ୟାଭାବରେ ମନୁଷ୍ୟମାନେ ସହଜରେ ସେମାନଙ୍କଠାରୁ ଅଧିକତର ହିଂସ୍ରକ ହୋଇଉଠନ୍ତି । ବାସ୍ତବ ଯେ ଲୋକ ଯେତେ ଦୁଷ୍ଟ, ସେ ସେହି ପରିମାଣରେ ଦୟାର ଯୋଗ୍ୟ ଅଟେ-। ଅନେକ ଲୋକେ ଯେମାନେ କି ବର୍ତ୍ତମାନ ପାପପଙ୍କରେ ଗଭୀର ମଗ୍ନ ହୋଇଅଛନ୍ତି, ଯେତେବେଳ ସେମାନେ ନିରୀହ ଥିଲେ, ସେମାନଙ୍କର ଭାବୀ ପାପର ସମଗ୍ର ମୂର୍ତ୍ତି ସେମାନେ ଯେବେ ଦେଖିଥାନ୍ତେ, ସେମାନଙ୍କର ଭାବୀ କାର୍ଯ୍ୟର ଫଳ ଯେବେ ସେମାନେ ତର୍କଣା କରିପାରିଥାନ୍ତେ, କଦାଚ ଏପରି ପାପରେ ଲିପ୍ତ ହୋଇନଥାନ୍ତେ । ମାତ୍ର ପାପହ୍ରଦର କୂଳର ଗଡ଼ନ୍ତି ତର୍କଣା କରିବାର କଠିନ। ହୁଏତ ସେମାନେ ସମଧରାତଳ ଜାଣି ଗଡ଼ନ୍ତି ଉପରେ ଚାଲୁଥିଲେ । କ୍ରମଶଃ ସେମାନେ ତଳକୁ ଯାଉଅଛନ୍ତି, ସେ ଜ୍ଞାନ ତାଙ୍କର ନ ଥିଲା । ଭ୍ରମରେ ଅନେକ ଦୂର ଯାଇ ପଛକୁ ଜାଣିଲେ । ମାତ୍ର ସେତେବେଳେ ଆଉ କାର୍ଯ୍ୟକର ହେଲା ନାହିଁ । ଆଉ ଫେରିବାକୁ ସାମର୍ଥ୍ୟ ନଥିଲା । ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେ ଭଲ କାର୍ଯ୍ୟ କରିବାକୁ ସେମାନେ ଆଦୌ ସୁବିଧା ପାଇନାହାନ୍ତି । ଅନେକ ଲୋକ ବାଧ୍ୟ ହୋଇ ପିଲାକାଳରୁ ମନ୍ଧ କାର୍ଯ୍ୟରେ ବ୍ରତୀ ଅଛନ୍ତି । ଏପରି ହେବାର ଅତ୍ୟନ୍ତ ଦୁଃଖର ବିଷୟ, ସନ୍ଦେହ ନାହିଁ । ମାତ୍ର କି ହେତୁ ଏପରି ହେଉଅଛି, ତାହା କିଏ କହିବ ? ସଂସାରରେ ଅନେକ ପ୍ରକାର ଅନିଷ୍ଟ ହେଉଅଛି, ମାତ୍ର ଜଣେ ତ ସେହି ଅନିଷ୍ଟର ହେତୁ ନୁହନ୍ତି । ଆମ୍ଭମାନଙ୍କର ଗ୍ରାମ ଓ ନଗରମାନ ଅତ୍ୟନ୍ତ ଅପରିଷ୍କୃତ । ମାତ୍ର ଏ ଜଣକର ଦୋଷ ନୁହେ, ସମସ୍ତଙ୍କର ଦୋଷ। ସମସ୍ତେ ଏଥିନିମନ୍ତେ ଦାୟୀ ।

 

ଭଗ୍ନମନସ୍କତା ଜୀବନର ଗୋଟିଏ ମହତ୍ ବୋଝ। ପୂର୍ବକାଳରେ ଏ ବୋଝ ଅନେକ ଲୋକ ବହୁନଥିଲେ । ବର୍ତ୍ତମାନ ଅନେକ ଲୋକଙ୍କୁ ବହିବାକୁ ହୁଏ । ଯେମାନେ ଶିକ୍ଷିତ ଅଟନ୍ତି, ଯେମାନେ ଶାରୀରିକ ଶ୍ରମଠାରୁ ମାନସିକ ଶ୍ରମରେ ଅଧିକ ରତ, ସେମାନେ ବହୁତରେ ହେଉ ଅବା ଅଳ୍ପରେ ହେଉ ଏ ବୋଝ ବହନ୍ତି । ସେମାନଙ୍କ ମନ ପ୍ରାୟ ସବୁବେଳେ ଏକ ପ୍ରକାର ଅନ୍ଧାରରେ ଆଚ୍ଛନ୍ନ ଥାଏ । ଥରେ ଥରେ ଏପରି ବିକାର ଉପସ୍ଥିତ ହୁଏ ଯେ କିଛି ଭଳ ଲାଗେ ନାହିଁ, ସଂସାର ଅସାର, ଜୀବନ ବିଡ଼ମ୍ବନା ବୋଧହୁଏ । ନାନା ପ୍ରକାର ବିଭୀଷିକା ହୃଦୟରେ ନୃତ୍ୟ କରୁଥାନ୍ତି । ଏପରି ମନର ଭାବ କବିର କଳ୍ପନା ଉଦ୍ଦୀପିତ କରେ, ଏହା ସତ୍ୟ, ମାତ୍ର ଏହା ବ୍ୟତୀତ ଏହାର ଆଉ କୌଣସି ଉପକାରିତା ନାହିଁ । କାର୍ଯ୍ୟକ୍ଷେତ୍ରରେ ଏପରି ଭାବ ଗୋଟିଏ ମହତ୍ ପ୍ରତିବନ୍ଧକ । ମନ ଭଲନଥିଲେ କାର୍ଯ୍ୟରେ ମନ କାହୁଁ ଲାଗିବ ? ଏପରି ଭାବର ଅଧୀନ ହୋଇ ଲୋକେ ଯେ କାର୍ଯ୍ୟ ନ କରନ୍ତି, ଏହା ନୁହେ । ମାତ୍ର କଳ ପରି କାର୍ଯ୍ୟ କରନ୍ତି, ଉତ୍ସାହ ନଥାଏ । ବାସ୍ତବରେ ଅପ୍ରଫୁଲ୍ଲତା ଗୋଟିଏ ମହତ୍ ବିଡ଼ମ୍ବନା । ସଂସାରରେ ପଦେ ପଦେ ବିଘ୍ନ, ପଦେ ପଦେ ବିରକ୍ତ ହେବାର ସହସ୍ର କାରଣ ଅଛି । ମନ ଦୃଢ଼ ଓ ପ୍ରଫୁଲ୍ଲ ନ ହେଲେ ନିଭିବାର କଠିନ ।

Image